ସ୍ତ୍ରୀର ଚାକର

ଚିତ୍ରପୁର ଗ୍ରାମରେ ଶ୍ୟାମା ନାମ୍ନୀ ଜଣେ ମହିଳା ରହୁଥିଲା, କଜିଆ କରିବାରେ ସେ ସିଦ୍ଧ; ତା’ରି ପାଖ ଘରେ ତା’ ନଣନ୍ଦ ସୁନୀତା ବି ରହୁଥିଲା । ଛୋଟ ଛୋଟ କଥାରେ ସଦା ସର୍ବଦା ଝଗଡା ଲାଗି ରହିଥାଏ ।

ଦିନେ ସୁନୀତାର ବିଲେଇ ଶ୍ୟାମା ଘରର ଦୁଧ ପିଇଦେଲା । ଶ୍ୟାମା ତ ସେଥିରେ ରାଗି ମୁସ୍ତେଜ । ଯାହା ଇଚ୍ଛା ଗାଳି ଦେଲା । ସୁନୀତା କହିଲା, “ମୋ ବିଲେଇ ଦୁଧର ଦୁଇଗୁଣ ଦୁଧ ମୁଁ କିଣି ଦେଉଛି; ଏବେ ତ କମ୍ସେକମ୍ ଚିତ୍କାର କରିବା ବନ୍ଦ କର ।” ଶ୍ୟାମା କହିଲା, “ତୁମେ ଏବେ ନେଇ ସେ ବିଲେଇକି ଜଙ୍ଗଲରେ ଛାଡିଆସ ।” ସୁନୀତା କହିଲା, “ତୁମ କଥାରେ କିଏ ଅଛି? ଅସମ୍ଭବ କଥା କହୁଛ ।

ଏତେଦିନର ପାଳିଥିବା ବିଲେଇ; ଅଜ୍ଞାନ ପଶୁ କିଛି ଦୋଷ କରିଦେଲା ତ କ’ଣ ସେଠୁ ହୋଇଗଲା? ତୁମ କଥାରେ ପଡି ମୁଁ ତାକୁ ଜଙ୍ଗଲରେ ଛାଡି ଆସିବି ।” ସୁନୀତାର ଏଭଳି ଉତ୍ତର ଯୋଗୁଁ ଝଗଡା ଆହୁରି ବଢିଲା ଓ କ୍ରମେ ତାହା ଏକ ଭୟଙ୍କର ରୂପ ଧାରଣ କଲା । ଶ୍ୟାମାର ସ୍ୱାମୀ ତଥା ସୁନୀତାର ଭାଇ ମଦନ ସେତେବେଳେ କ୍ଷେତବାଡି ଦେଖିବାକୁ ଯିବ ବୋଲି ବାହାରିଥିଲା ।

ସୁନୀତାକୁ ଅନାଇ ସେ ଖୁବ୍ ବିରକ୍ତ ହୋଇ କହିଲା, “ସକାଳ ନ ହେଉଣୁ ଝଗଡା ଆରମ୍ଭ ହୋଇଗଲା । ଏବେ ବନ୍ଦ କରୁଛୁ ନା ନାହିଁ?” ଭାଇଠୁ ଏପରି କଥା ଶୁଣି ସୁନୀତା ରାଗିଯାଇ କହିଲା, “ସ୍ତ୍ରୀ ତରଫ ହୋଇ ମୋତେ ଗାଳି ଦେବାକୁ ଆସିଲା । ସ୍ତ୍ରୀର ଚାକର । ପ୍ରଥମେ ତୁ ତୋ ସ୍ତ୍ରୀର ମୁହଁ ବନ୍ଦ କର । ନକରି ପାରିବୁ ତ ସବୁଦିନ ପାଇଁ ସେମିତି ଚୁପ୍ ରହ ଅନ୍ୟାୟ କଥାରେ ତୁ ଏମିତି ବାରମ୍ବାର କହିଲେ ମୋ ମୁହଁରୁ ପୁଣି ଶୁଣିବୁ ।” ଭଉଣୀଠାରୁ ଏପରି କଥା ଶୁଣି ସେ ଲଜ୍ଜାରେ ମୁହଁ ତଳକୁ କରି ଜମି ଦେଖିବାକୁ ଚାଲିଗଲା ।

କିନ୍ତୁ ଶ୍ୟାମାକୁ ଏକଥା ଖୁବ୍ ବାଧିଲା । ସେ କହିଲା, “ନିଜ ବଡ ଭାଇକୁ ସ୍ତ୍ରୀର ଚାକର ବୋଲି କହୁଛ । ତୁମକୁ ଟିକିଏ ଲଜ୍ଜା ଲାଗୁନାହିଁ? ବୋଧହୁଏ ତୁମର ଅତି ବେଶି ଗର୍ବ ହୋଇଗଲାଣି । ମୁଁ ଗ୍ରାମ ମୁଖିଆଙ୍କ ପାଖରେ ଏ ବିଷୟରେ ଅଭିଯୋଗ କରିବି ।” ସୁନୀତା ମଧ୍ୟ ତା’ ନିଜ କଥାରେ ଅଟଳ । ସେ କହିଲା, “ମୁଁ କ’ଣ ଆଜି ନୂଆ କଥାଟିଏ କହିଲି କି? ସେଥିପାଇଁ ଗାଁ ମୁଖିଆ ପାଖରେ ମୁଁ ମୋ ମୁଣ୍ଡ ନୋଇଁବି? ସତକଥା ତ କହିଲି ଗାଁ ସାରା ତ ସମସ୍ତେ ସେଇଆ କହୁଛନ୍ତି ।

ତୁମେ ଆଜି ମୁଖିଆକୁ କହିଲେ ସତ୍ୟଟା କ’ଣ କେବେବି ଅସତ୍ୟ ହୋଇଯିବ । ଶ୍ୟାମା କ୍ଷଣକ ମଧ୍ୟରେ ଗାଁ ମୁଖିଆଙ୍କ ପାଖରେ ଯାଇ ପହଁଚିଲା ଓ ଉକ୍ତ ଝଗଡା ବିଷୟରେ କହିଲା । ସେ ପୁଣି କହିଲା ମୁଖିଆ ଏପରି କରନ୍ତୁ ଯେଉଁଥିରେ ସୁନୀତା ମୋ ପାଦ ଧରି ମୋତେ କ୍ଷମା ମାଗିବ ।

loading...

ମୁଖିଆ ତ ବହୁ ଆଗରୁ ସେ ଦୁଇଜଣଙ୍କୁ ବେଶ୍ ଭଲଭାବେ ଜାଣିଥିଲେ । ତେଣୁ ସେ ପଚାରିଲେ, “ତୁମର କ’ଣ କେହି ସାକ୍ଷୀ ଅଛି? ଏ କ୍ଷେତ୍ରରେ ସାକ୍ଷୀ ନିହାତି ପକ୍ଷରେ ଦରକାର ।” ଶ୍ୟାମା କହିଲା “ହଁ, ମୋର ସାନଭାଇ ରାମ ଓ ମୋ ଦିଅର ରାଜା ବି ସେଠାରେ ସେତେବେଳେ ଥିଲେ ।” ତା’ପରେ ସେ ମୁଖିଆ କହିଲେ, “ସାକ୍ଷୀ ଦୁହିଁଙ୍କୁ ନେଇ ଆସ ।” ଏଣେ ଚାକରକୁ ପଠାଇ ସୁନୀତାକୁ ମଧ୍ୟ ସେ ଡାକି ଆଣିଲେ । ସମସ୍ତେ ମୁଖିଆଙ୍କ ଘରେ ଯାଇ ପହଁଚିଲେ ।

ମୁଖିଆ ପ୍ରଥମେ ରାମକୁ ପଚାରିଲେ, “ଯେବେ ସୁନୀତା ତୁମ ଭିଣେଇଙ୍କୁ ସ୍ତ୍ରୀର ଚାକର ବୋଲି କହିଲେ ତୁମେ କ’ଣ ସେତେବେଳେ ସେଠି ଥିଲ ଓ ନିଜେ ତାହା ଶୁଣିଛ?” “ହଁ, ଆଜ୍ଞା, ଏକଥା ମୁଁ ଥରେ ନୁହେଁ ତିନିଥର ଶୁଣିଛି । ମୋ ଭିଣେଇ ତ ଖୁବ୍ ବଳଶାଳୀ ବ୍ୟକ୍ତି । କିଛିଦିନ ଆଗରୁ ଜଣେ ଚୋର କାନ୍ଥରେ ସିନ୍ଧି କରି ଘରେ ପଶିଥିଲା, ମୋ ଭିଣେଇ ତା’କୁ ଦୁଇ ହାତରେ ଉଠାଇ ଧରି ପାଚିରି ସେପାଖକୁ ଫୋପାଡି ଦେଲେ । ମୋର ଭିଣେଇ ଗ୍ରାମର ଋଣ ଅସୁଲ୍ କରନ୍ତି । ଏସବୁ ପରେ ମଧ୍ୟ ସେ କିପରି ଚାକର ହେଲେ? ତା’ପୁଣି ସ୍ତ୍ରୀର?

ଏଥର ମୁଖିଆ ଅଳ୍ପ ହସି ରାଜାକୁ ଚାହିଁଲେ । ରାଜା କହିଲା, “ଭାଇ ଯେତେବେଳେ କ୍ଷେତ ଦେଖିବାକୁ ଯାଆନ୍ତି, ଚାକରମାନେ ଯଦି କାମ ନ କରୁଥା’ନ୍ତି ତେବେ ଭାଇଙ୍କୁ ଦେଖି ଭୟରେ ସେମାନେ ଖାଲି ଥରନ୍ତି । ସେଥିରେ ପୁଣି “ସ୍ତ୍ରୀର ଚାକର” ବୋଲି ତାଙ୍କୁ କେଉଁ ସାହସରେ କୁହାହେଲା?”

ରାମର ଓ ରାଜାର ଉତ୍ତର ପାଇବା ପରେ ମୁଖିଆ ଏବେ ସୁନୀତାକୁ କହିଲେ, “ଶୁଣିଲ ତ? ତୁମର ଭାଇ କିପରି ବଳଶାଳୀ? ସେଥିରେ ତୁମେ ଏପରି କଥା କିମିତି କହିଲ?” ମୁଖିଆଙ୍କ ସବୁକଥା ଶୁଣି ସୁନୀତା ଆଦୌ ବିଚଳିତ ନ ହୋଇ କହିଲା, “ମୁଁ ଜାଣେ ମୋ ଭାଇ ବଳଶାଳୀ, ବ୍ୟକ୍ତିତ୍ୱ ସମ୍ପନ୍ନ; ସେ ଟଙ୍କା ଅସୁଲ୍ କରେ, ଚାକରମାନଙ୍କୁ ଧମକାଇ ତାଙ୍କ ଦ୍ୱାରା ସବୁ କାମ କରାଏ, ବେଶ୍ ବଳଶାଳୀ ସେ । ହେଲେ ସେସବୁ ଭାଉଜର ଅନୁପସ୍ଥିତିରେ ।” ସୁନୀତା କଥା ଶୁଣି ମୁଖିଆଙ୍କର ଦୁଇ ଚାକର ହସି ପକାଇଲେ । ତତ୍ସହିତ ମୁଖିଆ ମଧ୍ୟ ଖୋଦ୍ ହସିଲେ ।

ମୁଖିଆ କହିଲେ, “ଏବେ ମୁଁ ଜାଣିଲି “ସ୍ତ୍ରୀର ଚାକର” ବୋଲି କହିବା କେତେ ଅପମାନଜନକ ।”

ତା’ପରେ ସେ ଦୁଇଜଣକୁ ଅଲଗା ଅଲଗା ସମୟରେ ଡାକି ବୁଝାଇ କହିଲେ, “ଛୋଟ କଥା ନେଇ ତୁମେ ଦୁହେଁ ଝଗଡା କରିବା ଅସୁନ୍ଦର । କ୍ରମେ ତୁମ ଝଗଡା ଦେଖିବାକୁ ଗ୍ରାମର ଲୋକ ମଧ୍ୟ ଆସି ଗଦା ହେବେ । ତେଣୁ ଆଜିଠାରୁ ନିଜ ନିଜର ଭୁଲ୍ ସଂଶୋଧନ କର ଓ ଝଗଡା ବନ୍ଦ କର ।” ଏହିପରି ଭାବରେ ସେ ଦୁହିଁଙ୍କୁ ବୁଝାଇ ମୁଖିଆ ସେମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଲେ ।

loading...
Updated: October 17, 2019 — 6:53 pm

Leave a Reply

Your email address will not be published. Required fields are marked *