ଯେସାକୁ ତେସା odiagapa

ମହାନଦୀ କୂଳରେ ଗ୍ରାମଟିଏ । ତା’ର ନାଁ ପାଟପୁର । ରାମନାରାୟଣ ଏହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକ । କିନ୍ତୁ ସ୍ୱଭାବରେ ସେ ଅତି କୃପଣ । ଦିନେ ତାଙ୍କ ବିହନ ଗୋଦାମରେ ସାପଟିଏ ଦେଖି, ଚାକର ତୁରନ୍ତ ମାଲିକଙ୍କୁ ଜଣେଇଲା । ତା’ଉପରେ ଚିଡି ଉଠି ରାମନାରାୟଣ କହିଲେ, “ଯାଃ, ଯାଃ ତାକୁ ଠେଙ୍ଗାରେ ବାଡେଇ ମାରି ବାହାରେ ଫୋପାଡି ଦେ ।”

“ମାଲିକ ସେଇଟି ସାଧାରଣ ସାପ ନୁହେଁ, ହଳଦୀ ରଙ୍ଗର ବିଷଧର ସାପ । ମୋ ପକ୍ଷରେ ତା’କୁ ମାରିବା ଆଦୌ ସମ୍ଭବ ନୁହେଁ । ଏଥିଲାଗି ସାପୁଆ କେଳାକୁ ଡାକିବା ପାଇଁ ପଡିବ ।” ରାମନାରାୟଣ, ଆସ୍ତିସୂଚକ ଭାବେ ମୁଣ୍ଡ ଟୁଙ୍ଗାରିଲେ । ସାପୁଆ କେଳା ଆସି ବିହନ ବସ୍ତାଗୁଡିକ ସନ୍ଧିରେ ଲୁଚିଥିବା ବିଷଧର ସାପଟିକୁ ଧରିଲା । ପେଡି ଭିତରେ ସାପଟି ପୁରେଇ, ମଜୁରୀ ବାବଦକୁ ସେ ଦଶଟଙ୍କା ମାଗିଲା ।

ଏକଥା ଶୁଣୁ ଶୁଣୁ ରାମନାରାୟଣ କ୍ରୋଧରେ ଅଗ୍ନିଶର୍ମା ହୋଇ କହିଲେ, “ତୁମକୁ ସାପଟି ଧରିବାକୁ ଦଶମିନିଟ୍ ମଧ୍ୟ ଲାଗିଲା ନାହିଁ, ଅଥଚ ତୁମେ ଦଶଟଙ୍କା ମାଗୁଛ । କ’ଣ ମିନିଟ୍କୁ ଟଙ୍କାଟିଏ କରି ହିସାବରେ କହୁଛ?”

loading...

“ଠିକ୍ ଅଛି ବାବୁ, ତାହେଲେ ତମ ସାପ ତମ ପାଖରେ ଥାଉ ।” ସାପୁଆକେଳା ବି ଏତକ କହି ବେଖାତିର୍ରେ, ପେଡିରୁ ସାପଟିକୁ ଚଟାପଟ୍ ଫିଟେଇ ଦେଲା ।

ସାପଟି ସର୍ର୍ କରି ଯାଇ ପୁଣି ସେ ବିହନବସ୍ତା ଭିତରେ କେଉଁଠି ଲୁଚିଗଲା ।

ରାମନାରାୟଣ ଏ ହରକତ ଦେଖି ଖୁବ୍ ବ୍ୟସ୍ତ ହୋଇ ପଡି କହିଲେ, “ଆହେ, ଆଗେ ତାକୁ ବାହାର କର । ମୁଁ ଏଇ ସଙ୍ଗେ ସଙ୍ଗେ ଦଶଟଙ୍କା କାଢୁଛି ।”

ସାପୁଆ ସେଇ ବେପରୁଆ ଢଙ୍ଗରେ କହିଲା, “ଆଉଥରେ ଧରିବା ପାଇଁ ଦଶଟଙ୍କା ପଡିବ । କ’ଣ ଏବେ କୋଡିଏ ଟଙ୍କା ଦେବ ତ?”

ତା’କଥାରେ, ରାମନାରାୟଣଙ୍କ ହାଡ ରାଗରେ ଜଳିଯାଉଥାଏ । ମାତ୍ର ଅଧୁନା ଉପାୟ ବା କ’ଣ?

ଦ୍ୱିତୀୟଥର ସାପଟି ଧରିବା ପରେ କୋଡିଏ ଟଙ୍କା ମଜୁରୀ ଦେବାବେଳକୁ ରାମନାରାୟଣ, ‘ମାର ନ ମାର୍’ ହୋଇ କହିଲେ, “ବାଃ ଏମିତି ମିନିଟ୍କୁ ଟଙ୍କାଏ ଲେଖାଏଁ ରୋଜଗାର କଲେ, ତୁ ତ ଅତି ଶୀଘ୍ର ଏ ଗାଁର ସବୁଠୁ ବଡ ଧନୀ ହୋଇଯିବୁ ।”

loading...
Updated: October 7, 2019 — 8:54 am

Leave a Reply

Your email address will not be published. Required fields are marked *