ମନୋନୟନ

ଗୋଟିଏ ଗ୍ରାମରେ ରାମ ଓ ଶ୍ୟାମ ନାମକ ଦୁଇ ମିତ୍ର ଥିଲେ । ପରିଶ୍ରମ କରି ସେ ଦୁହେଁ ପେଟ ପୋଷୁଥା’ନ୍ତି । ଦିନେ ସେମାନେ ଶୁଣିଲେ ପାଖ ଗ୍ରାମର ଜମିଦାରଙ୍କ ପାଖରେ ଚାକିରୀ ପାଇଁ ଲୋକ ଦରକାର । ଦୁହେଁ ସେଠାକୁ ଗଲେ ।

ସେଠାରେ ପହଁଚି ସେମାନେ ଜମିଦାରଙ୍କ ପାଖକୁ ଖବର ପଠାଇଲେ ଯେ ସେମାନେ ଚାକିରୀ କରିବାକୁ ଆସିଛନ୍ତି । କିନ୍ତୁ ଜମିଦାର ସେ ବିଷୟ ନିଜ କାନକୁ ମୋଟେ ନେଲେ ନାହିଁ; ବରଂ ତାକୁ ସେ ଉପେକ୍ଷା କଲେ । କିନ୍ତୁ ସୋମବାର ସକାଳୁ ଆସି ଦେଖା କରିବାକୁ ଖବର ପଠାଇଲେ ।

ଦୁଇ ବନ୍ଧୁ ନିରାଶ ହୋଇ ନିଜ ଗ୍ରାମକୁ ଲେଉଟି ଗଲେ । ଶ୍ୟାମ ତ ରାଗି ଯାଇଥିଲା । ସେ ରାମକୁ କହିଲା, “ଯଦି ଚାକିରୀ ଦେବାରେ ଇଚ୍ଛା ତ ଆଜି କହିପାରିଥା’ନ୍ତା । ପୁଣି ସୋମବାରକୁ ସେ କାହିଁକି ରଖିଲା?” ଯାହାହେଉ ସୋମବାର ସକାଳୁ ରାମ ଯାଇ ଶ୍ୟାମର ଘରେ ପହଁଚିଲା । ଯାଇ ଦେଖିଲା ସେ ଗଭୀର ନିଦରେ ଶୋଇଛି । ତା’କୁ ଉଠାଇ ପଚାରିଲା, “କ’ଣ ତୁ ଜମିଦାର ଘରକୁ ଯିବୁନାହିଁ କି?” ଏକଥା ଶୁଣି ଶ୍ୟାମ କହିଲା, “ତରବର କାହିଁକି? ଧୀରେ ସୁସ୍ଥେ ଯିବା ।”

“ଠିକ୍ ଅଛି । ମୁଁ ଯାଉଛି । ତୁ ପରେ ଆସିବୁ ।” ଏତିକି କହି ରାମ ଚାଲିଲା । ରାମ ଯିବାର ଘଂଟାକ ପରେ ଶ୍ୟାମର ନିଦ ଭାଙ୍ଗିଲା । ତା’ପରେ ସେ ଶୀଘ୍ର ଶୀଘ୍ର କାମଦାମ ସାରି ଜମିଦାରଙ୍କ ଗ୍ରାମକୁ ଚାଲିଲା । ତା’ର ମନେହେଲା ସେ ଅପେକ୍ଷା କରି ହୁଏତ ଚାଲି ଯାଇଥିବେ ।

ରାମ ସେଠାରେ ପହଁଚି ଜମିଦାରଙ୍କ ପାଖକୁ ଖବର ପଠାଇଲା । ଜମିଦାର ଚାକରକୁ କହିଲେ, “ସେ ଏକଲା କାହିଁକି ଆସିଲା? ତା’ ସାଥୀ କାହିଁ?” ରାମ ସେ ଚାକରକୁ ବୁଝାଇ କହିଲା “ସେ ଟିକିଏ ଡେରୀରେ ଆସିବ ।” ଜମିଦାର ପୁଣି ରାମ ପାଖକୁ ଖବର ପଠାଇଲେ, “ତାକୁ ଅପେକ୍ଷା କରିବାକୁ କୁହ ।”

କିଛି ସମୟ ପରେ ଶ୍ୟାମ ଆସି ସେଠାରେ ପହଁଚିଲା, ସେ ଟିକିଏ ରାଗି ଯାଇଥାଏ । ରାମକୁ ସେ କହିଲା, “ତୁ ଆଗରୁ ଆସି ଏଠି କ’ଣ ସ୍ୱର୍ଗ ପାଇଗଲୁ? ଆଉ ମୁଁ ଡେରିରେ ଆସି ତାହା ପାଇଲି ନାହିଁ ।” ଆଉ ତୁ ପଳାଇ ଆସିଲୁ ।

କିଛି ସମୟ ପରେ ନିଜେ ଜମିଦାର ସେଠାକୁ ଆସି କହିଲେ, “ତେବେ ତୁମେ ଦୁହେଁ କାମକୁ ଆସିଛ । ଏବେ ଗ୍ରାମକୁ ଲେଉଟି ଯାଅ ପରେ ଆସନ୍ତା ବୁଧବାରକୁ ଆସି ମୋ ସହିତ ଦେଖା କର ।”

loading...

ଦୁଇ ବନ୍ଧୁ ଚୁପ୍ଚାପ୍ ନିଜ ଗ୍ରାମକୁ ଫେରିଲେ । ଶ୍ୟାମ ରାସ୍ତାରେ କହିଲା, “ଜମିଦାର ବୁଢା ବିନା କାରଣରେ ଆମକୁ ଖଟଉଛି । ଦେଖିବୁ ବୁଧବାର ଆସିଲେ ପୁଣି କହିବ ଅମୁକ ଦିନକୁ ଆସ । ଆମକୁ ସେ କ’ଣ ବୋଲି ପାଇଛି କି? ମୋତେ ତ ଲାଗୁଛି ଏଠାକୁ ପୁନର୍ବାର ଆସିବାରେ କୌଣସି ଲାଭ ନାହିଁ; ପରିଶ୍ରମ ଓ ମନସ୍ତାପ ।” ରାମ କହିଲା “ଆମେ ଏଠାକୁ ଆସିଲେ କ୍ଷତିଟା ବା କ’ଣ ହେଉଛି ।

ଆମେ ଏମିତି ତ ବେକାର ହୋଇ ବସିଛେ ।” ବୁଧବାର ସକାଳୁ ରାମ ଆସି ଜମିଦାରଙ୍କ ଘରେ ପହଁଚିଲା । ଦୁଇପହର ବେଳକୁ ଶ୍ୟାମ ବି ସେଠାକୁ ଆସିଲା । ଜମିଦାର ରାମ ସହିତ କଥାବାର୍ତ୍ତା କଲେ । ତାକୁ ସେ ଖାଇବାକୁ ଦେଲେ ଓ କହିଲେ, “କାଲି ସଂଧ୍ୟାରେ ଆସିବ ।”

ଶ୍ୟାମ କହିଲା “ଶେଷଥର ପାଇଁ କାଲି ରାତିକୁ ଯିବି । ମାତ୍ର ତା’ପରେ ଆଉ ନୁହେଁ ।” ପରଦିନ ସେ ଦୁହେଁ ଜମିଦାରଙ୍କ ଘରେ ଯାଇ ପହଁଚିଲେ । ଚାକର ଖବର ନେଇ ଗଲା ଓ ଲେଉଟି ଆସି ସେ କହିଲା, “ବାବୁ କହିଲେ ସେ କାଲି ସକାଳେ ତୁମ ସହିତ କଥାବାର୍ତ୍ତା ହେବେ । ତୁମ ଦୁହିଁଙ୍କର ରାତିରେ ଏଠାରେ ରହିବା ଓ ଖାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେବାକୁ ମଧ୍ୟ ସେ ମୋତେ କହିଛନ୍ତି ।”

ଶ୍ୟାମ ରାଗିଯାଇ କହିଲା, “ଯଦି କାମ ଦେବାକୁ ନ ଚାହାଁନ୍ତି ତ ନାହିଁ କରିଦେଲେ ହୁଅନ୍ତା, ଏତେ କାହିଁକି ଦଉଡାଉଛନ୍ତି? ରାମ ତୁ ଥା’ ମୁଁ ଗାଁକୁ ଫେରି ଯାଉଛି । ଇଚ୍ଛା ହେଲେ କାଲି ଆସିବି ।” ଏତିକି କହି ସେଠାରୁ ସେ ପଳାଇଲା ।

ଜମିଦାରଙ୍କ ଚାକର ଭିତରକୁ ଯାଇ ଶୀଘ୍ର ଫେରି ଆସିଲା ଓ ରାମ ହାତରେ ପାଞ୍ଚଟଙ୍କା ଦେଇ ସେ କହିଲା, “ମାଲିକ କହିଲେ ତୁମେ ଏହି ପଇସାରେ ସପଟିଏ ଓ ଚାଦରଟିଏ କିଣି ରାତିରେ ଏଇଠାରେ ରୁହ ।”

ସେ ଦୋକାନକୁ ଯାଇ ସବୁ କିଣି ଆଣିଲା । ତା’ପରଦିନ ସେ ଜମିଦାର ତାକୁ ଡାକି କହିଲେ, “ମୁଁ ତୁମକୁ ଏକ ସପ୍ତାହ ପୂର୍ବରୁ ଚାକିରୀ ଦେଇ ସାରିଛି । ସେହି ଅନୁସାରେ ତୁମେ ଖାଇପିଇ ତିରିଶ ଟଙ୍କା ନେବ । ପ୍ରଜାମାନଙ୍କଠାରୁ ଟଙ୍କା ଅସୁଲ୍ କରିବା ହେଲା ତୁମର କାମ । ସେଥିପାଇଁ ଅନେକ ଧୈର୍ଯ୍ୟ ଓ ସହନଶୀଳତା ଉଭୟ ଦରକାର । ତୁମ ଭିତରେ ସେହିସବୁ ସଦ୍ଗୁଣ ଥିବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି । ଭଲ ଭାବରେ କାମ କଲେ ତୁମର ବେତନ ମଧ୍ୟ ବଢାଇ ଦେବି ।”

ଶ୍ୟାମ ଶୁଣିଲା ଯେ ରାମ ଚାକିରୀ ପାଇଗଲା ଓ ନିଜର ଛଟପଟ ସ୍ୱଭାବ ଯୋଗୁଁ ସେ ସେହି ଚାକିରୀ ଆଦୌ ପାଇଲା ନାହିଁ । ଏହି କାରଣରୁ ତା’ର ମନରେ ଏକ ଅବଶୋଷ ବି ରହିଗଲା । ସେହିଦିନଠାରୁ ସେ ଆଉ କୌଣସି ପ୍ରକାର ଉତ୍ତେଜନା ଦେଖାଏ ନାହିଁ । ନିଜର ସ୍ୱଭାବ ପରିବର୍ତ୍ତନ କରିବାକୁ ତା’ର ସେ ଚେଷ୍ଟା କଲା ।

loading...
Updated: October 17, 2019 — 6:57 pm

Leave a Reply

Your email address will not be published. Required fields are marked *