ଭୂତଙ୍କ ସହାୟତା

କନକପୁରର କମଳେଶ ସହରରେ ଚାକିରୀ କରେ । ସେ ପ୍ରତିଦିନ ସକାଳୁ ସହରକୁ ଯାଏ ଓ ସଂଧ୍ୟାରେ ଘରକୁ ଫେରେ । ପିଲାଦିନରୁ ବାପ ମରିଯିବାରୁ, ତା’ର ମା’ ବହୁକଷ୍ଟରେ ତାକୁ ପାଳିପୋଷି ମଣିଷ କରିଛି ।

କମଳେଶର କଣ୍ଠ ବଡ ମଧୁର ଥିଲା । ଦିନେ ସେ ତା ମା’ଙ୍କର ଅନୁରୋଧରେ ତାଙ୍କୁ ଗୀତ ଗାଇ ଶୁଣାଉଥିଲା । ତା’ର ମା’ ଆଖି ବନ୍ଦ କରି ଶୁଣୁଥିଲେ; ସେ ଏତେ ମୁଗ୍ଧ ହୋଇଗଲେ ଯେ ଆଉ ଆଖି ଖୋଲିଲେ ନାହିଁ; ଚିରଦିନ ପାଇଁ ସେ ମହାନିଦ୍ରାରେ ହଜିଗଲେ ।

ମା’ର ମୃତ୍ୟୁ ପରେ କମଳେଶ ପୁରାପୁରି ଅନାଥ ହୋଇଗଲା । ତା’ର ନିଜର ବୋଲି ସାରା ସଂସାରରେ ଆଉ କେହିବି ନଥାଏ । ଏଣୁ ନିଜେ ରନ୍ଧାବଢା କରି ସେ ଖାଏ । ତା’ର ସାଙ୍ଗସାଥୀମାନେ କହିଲେ, “ଆରେ ଏମିତି ଆଉ କେତେଦିନ ଚଳିବୁ? ଭଲ କନ୍ୟାଟିଏ ଦେଖି ତାକୁ ବାହା ହୋଇ ପଡ ।” ବିବାହ କଥା ଶୁଣିବା ମାତ୍ରେ ତା’ ମନରେ ହଠାତ୍ ପାର୍ବତୀର କଥା ଆସିଲା । ପାର୍ବତୀର ବାପା ଜଣେ ଛୋଟ ବ୍ୟବସାୟୀ ।

ପାର୍ବତୀ ତାଙ୍କର ଗୋଟିଏ ବୋଲି ଝିଅ । ସେ ଦେଖେ ପ୍ରତିଦିନ ପାର୍ବତୀ ଗ୍ରାମ ଶେଷରେ ଥିବା ଶିବ ମନ୍ଦିରକୁ ଫୁଲ ନେଇ ପୂଜା କରିବାକୁ ଯାଏ । କିନ୍ତୁ କେବେ ହେଲେବି ସେ ତା’ ସହିତ କଥା ହୋଇ ନାହିଁ । ଦିନେ ସଂଧ୍ୟାରେ ସେ ସହରରୁ ଫେରି ଦେଖିଲା, ପାର୍ବତୀ ଫୁଲ ତୋଳୁଛି ।

କମଳେଶ ସାହସ କରି କହିଲା, “ମୁଁ ତୁମକୁ ପ୍ରତିଦିନ ଦେଖେ, କିନ୍ତୁ କଥା କହିବାକୁ ଚାହିଁଲେ ମଧ୍ୟ କଥା କହିବାର ସୁଯୋଗ ପାଏ ନାହିଁ । ତୁମେ ଦେଖୁଛ ଯେ ମୁଁ କିପରି ଏକାକୀ ଓ ମାତୃହୀନ; ମୋତେ ସାହାଯ୍ୟ କରିବାକୁ ତୁମର କ’ଣ ଇଚ୍ଛା ହୁଏ ନାହିଁ?” ପାର୍ବତୀ କହିଲା, “ମୁଁ ଜାଣେ ତୁମେ ଖୁବ୍ ଭଲ ଗୀତ ଗାଇପାର । କିନ୍ତୁ ତରବାରୀ ଚଳାଇ ପାର କି? ତୁମକୁ ଜଣେ ସାହସୀ ବୋଲି କୁହାଯାଇ ପାରିବ କି? ଲୋକେ ତୁମର ଖୁବ୍ ପ୍ରଶଂସା କରନ୍ତି ।

କିନ୍ତୁ ତାହା କେବଳ ମୁଣ୍ଡ ତଳକୁ କରି ଚାଲ ବୋଲି । ମୁଣ୍ଡ ଉଠାଇ ଚାଲିବା ଭଳି ନା ତୁମର ସାହସ ଅଛି, ନା ଆର୍ଥିକ ସାମର୍ଥ୍ୟ । ପୁଣି ତୁମେ ନିଜକୁ କେବେ ଦର୍ପଣରେ ଦେଖିଛ? ତୁମେ ମନେରଖ ତୁମକୁ ସାହାଯ୍ୟ କରିବା ପାଇଁ ମୋ ମନରେ ତିଳେ ମଧ୍ୟ ଦୟା ନାହିଁ ।

ଏପରି ପ୍ରସ୍ତାବ ଭବିଷ୍ୟତରେ ଆଉ ଯେପରି କେବେବି କରିବ ନାହିଁ ।” ଏତିକି କହି ସେ ସେଠାରୁ ଚାଲି ଯିବାକୁ ଉଦ୍ୟତ ହେଲା । କମଳେଶ କିଛି କହିବା ପୂର୍ବରୁ ପାର୍ବତୀ ତୋଳିଥିବା ଫୁଲକୁ ଫିଙ୍ଗି ଦେଇ ଚାଲିଗଲା । ଏପରି ବ୍ୟବହାରରେ କମଳେଶର ମନ ଦୁଃଖରେ ଭାଙ୍ଗି ପଡିଲା । ତାକୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ସେ ନିରାସକ୍ତ ଭାବରେ ଜଙ୍ଗଲ ଆଡକୁ ଚାଲିଲା । ସେଦିନ ନିର୍ମଳ ଜ୍ୟୋସ୍ନାରାତ୍ରି ଥିଲା । ସେ ଯାଇ ଗୋଟାଏ ପଥର ଉପରେ ବସିପଡି ତା’ ମା’ର ପ୍ରିୟ ଗୀତଟି ବୋଲିବାକୁ ଆରମ୍ଭ କଲା ।

ଗୀତ ଶେଷ ହେବାବେଳକୁ ଗୋଟିଏ ଗଛର ପଛପଟରୁ କିଛି ଶବ୍ଦ ଶୁଣାଗଲା; ଯେପରି କିଏ କହୁଛି; “ଆଃ କି ମଧୁର, କି ଅଦ୍ଭୁତ ଗୀତ । ଆମେ ଏହି ରାଗ ବିଷୟ ଜାଣିନାହୁଁ, କିନ୍ତୁ ଆମ ଚେତନା ସଙ୍ଗୀତ ସାଗର ମଧ୍ୟରେ ଡୁବିଗଲା ।” ଏତିକି କହି ତିନୋଟି ଭୂତ ତାଳି ମାରି ମାରି ତା’ ସମ୍ମୁଖରେ ଆସି ଛିଡା ହେଲେ ।

ଜୀବନ ପ୍ରତି ବିମୁଖ କମଳେଶ ସେ ଭୂତମାନଙ୍କୁ ଦେଖି ଆଦୌ ଭୟ କଲା ନାହିଁ । ଭୂତମାନେ କହିଲେ, “ତମେ ଯେଉଁ ଗୀତ ଗାଇଲ, ତାହା ଅତି ସୁନ୍ଦର, କିନ୍ତୁ ବିଷାଦରେ ଭରା ।

ଏବେ ଉଲ୍ଲାସରେ ଭରା କୌଣସି ଏକ ଗୀତ ବୋଲି ଆମକୁ ଆନନ୍ଦିତ କର ।” କମଳେଶ ଦୀର୍ଘ ନିଃଶ୍ୱାସ ପକାଇ କହିଲା “ମୋ ଜୀବନରେ ତ ସବୁ ଆନନ୍ଦ ଲୋପ ପାଇ ଯାଇଛି । ବିଷାଦଭରା ଗୀତହିଁ ବୋଲି ପାରିବି । ଆନନ୍ଦଭରା ଗୀତ ବୋଲିବା ମୋ ପାଇଁ ଏବେ ଅତ୍ୟନ୍ତ କଷ୍ଟସାଧ୍ୟ ।”

“ତମେ ତ ଯୁବକ । ଏହି ଅଳ୍ପ ବୟସରେ ତୁମର ଦୁଃଖର କାରଣ କ’ଣ?” ଜଣେ ଭୂତ ଏହା ପଚାରିବାରୁ, କମଳେଶ ନିଜର ଦୁଃଖ କାହାଣୀ କହିଲା । ତା’ପରେ ସେ ଭୂତମାନେ ନିଜ ନିଜ ମଧ୍ୟରେ କିଛି ଆଲୋଚନା କରିବା ପରେ କହିଲେ, “ତୁମ କଥାରୁ ଯାହା ମନେ ହେଉଛି ପାର୍ବତୀ ଅତ୍ୟନ୍ତ ଗର୍ବୀ । ତୁମେ କିନ୍ତୁ ସେଥିପାଇଁ ମୋଟେ ଦୁଃଖ କରନା; ଏହି ବିବାହ ବିଷୟ ତୁମେ ଆମ ଉପରେ ଛାଡିଦିଅ । ଏବେ ସହରକୁ ଯାଅ । ଆସନ୍ତା ପୂର୍ଣ୍ଣିମା ଦିନ ପୁଣି ଆମ ସହ ଏଇଠି ଦେଖା କରିବ ।” ଭୂତଙ୍କ କଥା ସେ ସମ୍ପୂର୍ଣ୍ଣ ବିଶ୍ୱାସ କଲା ନାହିଁ । ଏଣେ ଗ୍ରାମକୁ ଫେରିବାକୁ ବି ମନ ହେଲା ନାହିଁ । ତେଣୁ ସେହିଠାରୁ ସେ ସିଧା ସହରକୁ ଚାଲିଗଲା ।

ପରଦିନ ପାର୍ବତୀ ଯେତେବେଳେ ମନ୍ଦିରରୁ ଫେରିଲା, ସେତେବେଳେ ସଂଧ୍ୟା ହୋଇ ଆସିଲାଣି । ହଠାତ୍ ସେ ଦେଖିଲା ବାଘଟାଏ ଠେକୁଆଟାକୁ ଗୋଡାଉଛି । ଠେକୁଆ ଡିଆଁମାରି ବୁଦାରେ ଲୁଚିଯିବାରୁ ବାଘ ପାର୍ବତୀ ଆଡକୁ ଝପଟି ଆସିଲା । ପାର୍ବତୀ ଭୟରେ ଚିତ୍କାର କରି ନିଜର ଦୁଇ ଆଖି ବନ୍ଦ କରି ଦେଲା । କିଛି ସମୟ ପରେ ଆଖି ଖୋଲି ସେ ଦେଖିଲା କମଳେଶ ତରବାରୀ ଖୋଳରେ ପୁରାଉଛି ଓ ବାଘର ମୁଣ୍ଡ କଟା ହୋଇ ସେ ଛଟପଟ ହେଉଛି ।

ପାର୍ବତୀ କୃତଜ୍ଞତା ଜଣାଇବାକୁ ଆଗକୁ ଯିବାରୁ କମଳେଶ ହଠାତ୍ ଅନ୍ଧକାରରେ କୁଆଡେ ଲୁଚିଗଲା । ମନେହେଲା ସେ ପାର୍ବତୀର କୃତଜ୍ଞତା ଯେପରି ଗ୍ରହଣ କରିବାକୁ ଚାହୁଁନାହିଁ । ଭୂତମାନେ ତା’ପରେ ବହୁତ ଖୁସି ହେଲେ । କାରଣ ତାଙ୍କର ପ୍ରଥମ ନାଟକ ସଫଳ ହେଲା । ସେହିମାନେହିଁ ବାଘ, ଠେକୁଆ ଓ କମଳେଶ ହୋଇଥିଲେ ।

loading...

ପରଦିନ ପାର୍ବତୀ ଯେବେ ମନ୍ଦିରରୁ ଫେରୁଥିଲା, ହଠାତ୍ ଦେଖିଲା ରାସ୍ତାକଡରେ ଏକ ପ୍ରାସାଦ । ସେ ଦେଖିଲା କମଳେଶ ଘରୁ ବାହାରି ଜଣେ ଚାକରକୁ କ’ଣ କାମ ବରାଦ କରି ପୁଣି ଭିତରକୁ ଚାଲିଗଲା । ପାର୍ବତୀର ବିଶ୍ୱାସ ନ ହେବାରୁ ଜଣେ ଚାକରରୂପୀ ଭୂତକୁ ସେ ପଚାରିଲା, “ଏହି ନୂଆ ପ୍ରାସାଦଟି କାହାର?” ଚାକର କହିଲା, “ଏହାତ ଶ୍ରୀକମଳେଶଙ୍କର ଅଟେ ।

ପୁରୁଣା ଘରେ ରହିବାକୁ ତାଙ୍କର ଇଚ୍ଛା ନଥିଲା ବୋଲି ଏବେ ଏହି ଘର ସେ ତିଆରି କରିଛନ୍ତି ।” ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଦିନକ ମଧ୍ୟରେ ଏତେ ବଡ ଘର ନିର୍ମାଣ କରିବା କିପରି ସମ୍ଭବ ହେଲା?” “କମଳେଶଙ୍କର ଶକ୍ତି ଓ ଚିନ୍ତାଧାରା ବିଷୟରେ ଯିଏ ଜାଣେ ସେ ଅବଶ୍ୟ ଏପରି ପ୍ରଶ୍ନ ପଚାରିବା ଉଚିତ୍ ନୁହେଁ ।” ଏତିକି କହି ଚାକରଟି ଭିତରକୁ ଚାଲିଗଲା ।

ତା’ପରେ ପାର୍ବତୀ ତା’ଘର ଆଡେ ଚାଲିଯିବା ପରେ ଏଣେ ଏହି ଘରଟି କୁଆଡେ ଅଦୃଶ୍ୟ ହୋଇଗଲା । ଭୂତମାନେ ତାଙ୍କର ଦ୍ୱିତୀୟ ନାଟକର ସାଫଲ୍ୟ ଯୋଗୁଁ ବହୁତ ଖୁସି ହେଲେ । ଏଣେ ପାର୍ବତୀ ସାରାରାତି ଆଉ ଶୋଇ ପାରିଲା ନାହିଁ । ସେ କେବଳ କମଳେଶର କଥା ଚିନ୍ତାକଲା; ସେ କେତେ ସାହସୀ ଓ ଧନୀ । ପରଦିନ ପାର୍ବତୀ ମନ୍ଦିର ଯାଇ ନଥାଏ । ସେ କମଳେଶର ଫୁଲବଗିଚାକୁ ଫୁଲ ତୋଳିବାକୁ ଗଲା । ସେଠାରେ ଦେଖିଲା ତିନିଜଣ ଅତି ସୁନ୍ଦରୀ ସ୍ତ୍ରୀ ଲୋକ ଅଛନ୍ତି ।

ସେମାନେ ଦେଖିବାକୁ ଏତେ ସୁନ୍ଦର ଯେ ପାର୍ବତୀ ଭାବିଲା ବୋଧହୁଏ ସେମାନେ ଅପ୍ସରା । ଏସବୁ ସେହି ଭୂତମାନଙ୍କର ପୁଣି ଆଉ ଏକ କାରସାଦି । ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ତୁମେ ସବୁ କିଏ?” ସେମାନେ ହସି ହସି କହିଲେ, “ଆମେ ତିନିଜଣ ତିନି ସାଥୀ ଆମେ କମଳେଶଙ୍କୁ ବିବାହ କରିବାକୁ ଚାହୁଁ, ଆମେ କହିଲୁ ତୁମର ଯାହାକୁ ଇଚ୍ଛା ତାକୁ ବାଛିନିଅ । କିନ୍ତୁ କମଳେଶ କାହାଁନ୍ତି?” ପାର୍ବତୀ କହିଲା “ସେ ଏଠାରେ ନାହାଁନ୍ତି, ସହର ଯାଇଛନ୍ତି ।

କିନ୍ତୁ ତମେମାନେ ଏତେ ସୁନ୍ଦରୀ ହୋଇ କମଳେଶ ପରି ଜଣେ ସାଧାରଣ ମଣିଷକୁ ବିବାହ କରିବାକୁ କାହିଁକି ଚାହୁଁଛ?” ସେହି ତିନିଜଣଙ୍କ ମଧ୍ୟରୁ ଜଣେ ସୁନ୍ଦରୀ ହସିଦେଇ କହିଲା, “ତୁମେ ବି କେତେ ମୁର୍ଖ; ମନେହୁଏ ତୁମେ ସୁନ୍ଦରତା ପଛରେ ପାଗଳ ହୋଇଛ; ସୁନ୍ଦରତା

ପଛରେ ପାଗଳ ହୋଇ ମୋ ଆଈ ଜଣେ ସୁନ୍ଦର ଯୁବକକୁ ବିବାହ କଲା; କିନ୍ତୁ କ’ଣ ହେଲା ଦୁର୍ଘଟଣାରେ ସେ…” ପାଖରେ ଥିବା ଅନ୍ୟ ଜଣେ କହିଲା, “ଏବେ ଏତେ କଥାସବୁ କହିବାର କ’ଣ ବା ଆବଶ୍ୟକତା? ଆମ ସାଥୀ ସୁକୁମାରୀ କଥା ଭୁଲିଗଲ କି? କାମଦେବ ପରି ସୁନ୍ଦର ଜମିଦାର ପୁଅକୁ ସେ ବିବାହ କରିଥିଲା ।

ହେଲେ କ’ଣ ଲାଭ? ସେ ଲମ୍ପଟ ଅର୍ଥାତ୍ ଚରିତ୍ରହୀନ ଥିଲା । ତା’ର ଅନ୍ୟାନ୍ୟ ବହୁତ ଦୁର୍ଗୁଣ ମଧ୍ୟ ଥିଲା । ସେ ସୁକୁମାରୀକୁ ବହୁତ କଷ୍ଟ ଦେଉଥିଲା । ଆଉ …….” ତୃତୀୟ ଜଣକ କହିଲା, “ଏହି ଅନ୍ଧାରରେ ସେ ଦୁଷ୍ଟ ବିଷୟରେ କାହିଁକି କଥା ହେଉଛ? ତା’ର ନାମ ଧରିବା ଆଦୌ ଉଚିତ୍ ନୁହେଁ । ତୁମେ ବଡ ମା’ଙ୍କ ନାତୁଣୀ କଥା ଶୁଣିନା; ସେ ସେମିତି ଜଣେ ତଥାକଥିତ ସୁନ୍ଦର ଟୋକା ପାଇଁ ପାଗଳ ହୋଇ ତାକୁ ବିବାହ କଲା । କିନ୍ତୁ ସାରା ଜୀବନ ସେ ଯେପରି ନର୍କରେ ରହିଛି ।

ସେ ଟୋକା ଏତେ ଖରାପ ବ୍ୟବହାର କରେ, କେବେହେଲେ ଆତ୍ମହତ୍ୟା କରିଦେବା ତା’ପକ୍ଷେ କିଛି ବିଚିତ୍ର ନୁହେଁ ।” ପାର୍ବତୀ ଚିଡି ଯାଇ କହିଲା, “ତମେ ତିନିଜଣ କ’ଣ କହିବାକୁ ଚାହୁଁଛ? ଏହି ଯେ କମଳେଶ ସୁନ୍ଦର ନ ହେଲେ ମଧ୍ୟ ଗୁଣବାନ୍ । ମୁଁ ମଧ୍ୟ ଜାଣେ ସେ ଗୁଣବାନ୍, ଧନୀ ଓ ସାହସୀ ।

କିନ୍ତୁ ତୁମେମାନେ ଏଠାକୁ ଆସିବାରେ ଟିକେ ଡେରି କରିଦେଲ । ତାହାର ତ ବିବାହ ହୋଇ ସାରିଛି ।” ତିନିଜଣ ଏକସଙ୍ଗରେ ପଚାରିଲେ “କାହା ସହିତ?” “ମୋ ସହିତ । ଏବେ ତୁମେମାନେ ଏଠୁ ଯାଇପାର ।” ଏତିକି କହି ସେ ଘର ଭିତରକୁ ପଶିଗଲା ।

ଭୂତମାନେ ଦେଖିଲେ ତାଙ୍କ ନାଟକ ପାର୍ବତୀ ପାଇଁ ବହୁତ ଭଲ କାମ କରିଛି । ତା’ପରେ ସେମାନେ ବାଦୁଡି ରୂପ ଧରି ଜଙ୍ଗଲକୁ ଉଡିଗଲେ । ପୂର୍ଣ୍ଣିମା ଦିନ ତିନିଜଣ ଭୂତ ପୂର୍ବୋକ୍ତ ସେହି ପଥର ପାଖକୁ ଆସିଲେ । ଦେଖିଲେ କମଳେଶ ସହିତ ପାର୍ବତୀ ମଧ୍ୟ ସେଠାକୁ ଆସିଛି ।

ସେମାନେ ଭୟ କଲେ, ଭାବିଲେ ପାର୍ବତୀ ବୋଧହୁଏ ତାଙ୍କୁ ଗାଳି ଦେବାକୁ ଓ ଅଭିଶାପ ଦେବାକୁ ଆସିଛି । କିନ୍ତୁ ସେମାନେ ପାର୍ବତୀ କଥାରେ ଭାରି ଆଶ୍ଚର୍ଯ୍ୟ ହେଲେ । ପାର୍ବତୀ କହିଲା, “ତୁମେ ତିନିଜଣ ମୋ ମଧ୍ୟରେ ଥିବା ଗର୍ବ ଅହଙ୍କାର ସବୁ ଭାଙ୍ଗି ଦେଇଛ ।

ମୁଁ ଯାହାକୁ ପଥର ବୋଲି ଭାବିଥିଲି ସେ ଖାଲି ପଥର ନୁହେଁ ରତ୍ନ । ତୁମେମାନେ ମୋ ଆଖି ଖୋଲି ଦେଇଛ ସେଥିପାଇଁ ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସେଥିପାଇଁ ହିଁ ମୁଁ ଏଠାକୁ ଆସିଛି ।”

ଭୂତମାନେ ଖୁସି ହୋଇ କହିଲେ, “ଏତେ କମ୍ ସମୟରେ ଏତେ ବଡ କାମ ଆମେ କଲୁ । ସେଥିପାଇଁ ଆମେ ବଡ ଖୁସି । ବିବାହ ପରେ ନୂଆ ନାମ ଦିଆଯାଏ । ଆମେମାନେ ତୁମର ନାମ କମଳ ଦେଲୁ । ଆଉ ଶୁଣ; ଆମର ପାରିଶ୍ରମିକ? ଦୁହେଁ ସୁନ୍ଦର ସୁନ୍ଦର ଗୀତ ବୋଲି ଆମକୁ ଆନନ୍ଦ ଦିଅ । ଆମେ ତୁମକୁ ସଦା ସର୍ବଦା ସାହାଯ୍ୟ କରିବୁ ।”

କମଳେଶ ଓ ପାର୍ବତୀ ଦୁହେଁ ଗୀତସବୁ ଗାଇଲେ, ଭୂତମାନେ ଆନନ୍ଦରେ ମୁଗ୍ଧ ହୋଇ ତାଳି ମାରି ଜ୍ୟୋସ୍ନା ରାତ୍ରିରେ ବହୁତ ଖୁସି ହେଲେ ।

loading...
Updated: October 28, 2019 — 6:04 am

Leave a Reply

Your email address will not be published. Required fields are marked *