ଠକଙ୍କ ଗୁରୁ Odia Kahani

ବାଗଦାଦ୍ରେ ଜଣେ ଧନୀ ସୌଦାଗର ଥା’ନ୍ତି । ନିଜ ବ୍ୟବସାୟକୁ ଆହୁରି ବଢାଇବା ପାଇଁ ବୋଧହୁଏ ସେ ଏହି ପୃଥିବୀର ସବୁ ଦେଶ ଭ୍ରମଣ କରି ସାରିଥା’ନ୍ତି । ହେଲେ ନିଜ ଦେଶର ଏକ ପାହାଡିଆ ଅଂଚଳକୁ ସେ କେବେବି ମଧ୍ୟ ଯାଇ ନଥା’ନ୍ତି ।

  କାହିଁକି କେଜାଣି, ପୁରୁଖା ବେପାରୀମାନେ ତାଙ୍କୁ ସେ ଅଂଚଳକୁ ଯିବାକୁ ସଦା ସର୍ବଦା ବାରଣ କରୁଥାନ୍ତି । “ଭାଗ୍ୟ ବିରୂପ ହେଲେ ମଣିଷ ସେଠାକୁ ଯାଏ!” ଏଭଳି ମନ୍ତବ୍ୟ ବି ସେ ଶୁଣୁଥାନ୍ତି । ସେଥିରେ ତାଙ୍କ କୌତୁହଳ ଆହୁରି ବଢୁଥାଏ ।

ଥରେ ସେହି ଦେଶର ଜଣେ ବ୍ୟକ୍ତି ସହିତ ସୌଦାଗରଙ୍କର ଦେଖା ହେଲା । କଥାବାର୍ତ୍ତା ହେଉ ହେଉ ସେ ବୁଝିଲେ ଯେ ସେଠାରେ ଚନ୍ଦନ କାଠ ବହୁତ ମହରଗ । ତେଣୁ ସୌଦାଗର ତାଙ୍କ ମନେ ମନେ ଠିକ୍ କଲେ କି ଚନ୍ଦନ କାଠ କିଛି ନେଇ ଉପରୋକ୍ତ ଦେଶକୁ ସେ ଯିବେ ।

ଚନ୍ଦନ କାଠ ସବୁ ଗାଡିରେ ଲଦି ସେ ଯାଉଥା’ନ୍ତି; ନଗରୀ ପାଖ ହୋଇ ଆସିଲା । ବୁଢୀଟିଏ କୁଆଡୁ ଆସି ତାଙ୍କୁ କହିଲା, “ସାବଧାନ୍, ପୁଅ, ଏ ନଗରୀର ଅଧିକାଂଶ ଲୋକ ଠକ ଓ ମିଛୁଆ । ଦିନ ଦି’ପହରରେ ପରଦେଶୀ ଲୋକ ଦେଖିବା ମାତ୍ରେ ସବୁ ଟଙ୍କା ପଇସା ଲୁଟି ନେବେ ।” ଏତିକି କହି ସେ ବୁଢୀଟି ତା’ ମେଣ୍ଢାମାନଙ୍କୁ ଧରି ନିଜ ବାଟରେ ଚାଲିଗଲା ।

 ସୌଦାଗର ନଗରୀରେ ପହଁଚିବା ବେଳକୁ ତ ପ୍ରାୟ ସଂଧ୍ୟା ହୋଇ ସାରିଥାଏ । ଏଣୁ ସେ ନଗରୀର ପ୍ରବେଶ ଦ୍ୱାର ବନ୍ଦ ହୋଇ ଯାଇଥାଏ । ସେ କିଛି ଉପାୟ ନ ପାଇ ଦ୍ୱାର ବାହାରେହିଁ ରାତି ବିତାଇଲେ । ସକାଳୁ ଦ୍ୱାର ଖୋଲିବା ମାତ୍ରେ ସେ ସେହି ନଗରୀରେ ପ୍ରବେଶ କରୁ କରୁ ଦଳ ଦଳ ଲୋକ ତାଙ୍କୁ ନାନା ପ୍ରଶ୍ନ କରୁଥା’ନ୍ତି । ସେ ଉତ୍ତର ଦେଲେ, “ମୁଁ ବାଗ୍ଦାଦର ନିବାସୀ ହିନ୍ଦବାଦ୍ ନାମକ ଜଣେ ବ୍ୟବସାୟୀ । ମୁଁ ଶୁଣିଥିଲି ଏଠାରେ ଚନ୍ଦନ କାଠ ବହୁତ ଦରକାର । ତେଣୁ ମୁଁ ଏଗୁଡିକୁ ବିକ୍ରି କରିବାକୁ ନେଇ ଆସିଛି ।”

 ଜଣେ ବ୍ୟକ୍ତି କହିଲା “କେଉଁ ମୂର୍ଖ ତୁମକୁ ଏପରି ଭୁଲ୍ କଥା କହିଛି? ଆରେ ଆମେ ତ ଚନ୍ଦନ କାଠ ସବୁଦିନ ଚୁଲିରେ ଜଳାଉ । ଯଦି ଏତେଦୂର ତୁମେ ଆଣିଛ ତେବେ ଚୁଲିଜାଳର ଦାମ୍ ନେଇ ସେ କାଠତକ ଦେଇ ଯାଇପାର ।”

 ହିନ୍ଦବାଦ୍ ବିଚାରା ବୁଝିପାରିଲେ ନାହିଁ ଯେ ଏକଥା ସତ ନା ମିଛ । ତା’ପରେ ସେ ତାଙ୍କ ଜିନିଷପତ୍ର ଧରି ଜଣକ ଘର ଭଡା ନେଇ ସେଠାରେ ରହିଲେ । ଜିନିଷ ସବୁ ରଖାରଖି କରି ଅଗଣାକୁ ଆସି ସେ ଦେଖିଲେ ପୂର୍ବୋକ୍ତ ବ୍ୟକ୍ତି ଓ ତା’ର ଜଣେ ସାଙ୍ଗ ବସି ଚୁଲି ଜଳଉଛନ୍ତି । ଆଉ ସେ ଚୁଲିର କାଠ ହେଉଛି ଚନ୍ଦନ । ଏକଥା ଦେଖି ହିନ୍ଦବାଦ୍ ଭୀଷଣ ଦୁଃଖରେ ଭାଙ୍ଗି ପଡିଲେ । ମନେ ମନେ ସେ ଭାବିଲେ, “ଏପରି ଏକ ଚନ୍ଦନ ବୃକ୍ଷ-ବହୁଳ ଦେଶକୁ ଚନ୍ଦନ କାଠ ଆଣିହିଁ ମୁଁ ଏକ ମସ୍ତବଡ ଭୁଲ୍ କରିଛି । ହେଲେ ଏବେ ମୁଁ ଆଉ କ’ଣ କରିବି? ଯାହାକିଛି ପଛେ ମିଳୁ କୌଣସି ମତେ ଏସବୁ ବିକ୍ରି କରି ଏହି ଦେଶରୁ ଯେତେ ଶୀଘ୍ର ସମ୍ଭବ ମୋର ପଳାଇବା ଉଚିତ୍ ।”

ସେମାନେ ହିନ୍ଦବାଦ୍ଙ୍କୁ ଦେଖି କହିଲେ, “କ’ଣ, ଏବେ ତୁମେ ତୁମ ଚନ୍ଦନ କାଠ ବିକ୍ରି କରିବାକୁ ପ୍ରସ୍ତୁତ?”

ହିନ୍ଦବାଦ୍ ପଚାରିଲେ “ଅବଶ୍ୟ; ତେବେ କେତେ ମୂଲ୍ୟ ଦେବେ?

ସେମାନେ କହିଲେ “ଆଚ୍ଛା ସର୍ତ୍ତ ରହିଲା, ସେହି ଓଜନର ଯାହା ଜିନିଷ ତମେ କହିବ ଆମେ ତୁମକୁ ତାହା ଦେବୁ ।”

“ଠିକ୍ ଅଛି । ଆଜି ତମେ ଚନ୍ଦନ କାଠ ଓଜନ କରି ରଖିନିଅ । କାଲି ମୁଁ ମୋ ଜିନିଷ ମାଗିନେବି ।” ହିନ୍ଦବାଦ୍ ଏତକ କହିଲେ ଆଉ ସେ ତାଙ୍କ ମନେ ମନେ ଭାବିଲେ, “ମୋରହିଁ ଲାଭ ହେବ ।”


 ତା’ପରେ ହିନ୍ଦବାଦ୍ ନଗର ବୁଲିବାକୁ ଚାଲିଗଲେ । ରାସ୍ତା ଉପରେ ହଠାତ୍ ଜଣେ କଣାଲୋକ ଆସି ତାଙ୍କ ହାତ ଧରି ପକାଇ ଚିତ୍କାର କଲା, “ଭାଇମାନେ, ଦେଖନ୍ତୁ ଏହି ଲୋକଟି ମୋର ଆଖି ଫୁଟାଇ ଦେଲା । ଏଥର କିନ୍ତୁ ତତେ ଆଉ ମୁଁ ଛାଡୁନାହିଁ ।”

ହିନ୍ଦବାଦ୍ ଆଶ୍ଚର୍ଯ୍ୟ ତଥା ବିଚଳିତ ହୋଇ କହିଲେ, “ବାବୁ! ତମେ ଭୁଲ୍ କରୁଛ । ମୁଁ ବିଦେଶୀ । ଏହା ପୂର୍ବରୁ ମୁଁ ତ କେବେବି ଏଠାକୁ ଆସିନାହିଁ । ତୁମକୁ ଆଗରୁ କେବେ ମଧ୍ୟ ଦେଖି ନାହିଁ, ମୁଁ କିପରି ତୁମର ଆଖି ଫୁଟାଇବି?”

କିନ୍ତୁ ଲୋକଟି ତାଙ୍କ କୈଫିୟତ୍ ପ୍ରତି କୌଣସି ଭ୍ରୁକ୍ଷେପ ନକରି ଚିତ୍କାର କଲା, “ମୋ ଆଖି ଫୁଟାଇଥିବା ଲୋକକୁ ଶେଷରେ ମୁଁ ଆଜି ଧରିଛି!”

 ତା’ର ସେ ଚିତ୍କାର ଶୁଣି ସେଠାରେ ଅନେକ ଲୋକ ଜମିଗଲେ । ସମସ୍ତେ ହିନ୍ଦବାଦ୍ଙ୍କୁ ଘେରିଗଲେ । ସେ ନିଜକୁ ରକ୍ଷା କରିବାକୁ ଯାଇ କହିଲେ, “ମୁଁ ତ ଏହାଙ୍କୁ ଜାଣିନାହିଁ! ମୁଁ ତ ଏ ନଗରୀକୁ ଗତକାଲି ପ୍ରଥମ କରି ଆସିଛି । ଆଉ ମୁଁ କେମିତି ଏହାଙ୍କ ଆଖି ଫୁଟାଇ ଦେଲି? ଇଏ କେଉଁ ଦେଶର ନ୍ୟାୟ?”

 କିନ୍ତୁ ସେଠାରେ ଜମା ହୋଇଥିବା ଲୋକେ କଣାକୁହିଁ ସମର୍ଥନ କରି କହିଲେ, “ହଁ, ହଁ, କଣା ଠିକ୍ କଥା କହୁଛି । ତୁମେ ତୁମର ଏହି ଅପକର୍ମ ପାଇଁ ତାକୁ କିଛି ମୁଦ୍ରା ଦେଇଦିଅ ଅଥବା ତୁମର ଆଖିଟିଏ ତାକୁ ଦିଅ ।”

ହିନ୍ଦବାଦ୍ କହିଲେ, “ଠିକ୍ ଅଛି । କାଲି ଦେବି ।”

ଏ ଗୋଳମାଳ ଭିତରେ ତାଙ୍କର ଗୋଟିଏ ଚପଲ ଛିଣ୍ଡିଗଲା, ସେ ମୋଚି ପାଖକୁ ଯାଇ ସେଇଟିକୁ ମରାମତି କରିବାକୁ ଦେଲେ ।

 ମୋଚି ପଚାରିଲା “କେତେ ଦେବ?”

  ହିନ୍ଦବାଦ୍ କହିଲେ, “ଆଚ୍ଛା ତୁମକୁ ଖୁସି କରିଦେବି, ସେଇ କ’ଣ ଯଥେଷ୍ଟ ନୁହେଁ?”

ମୋଚି ତାଙ୍କ କଥାକୁ ସ୍ୱୀକାର କରି କହିଲା “ଠିକ୍ ଅଛି ।”

ସେଠାରୁ ଯାଇ ହିନ୍ଦବାଦ ଦେଖିଲେ ଠାଏ ଜୁଆଖେଳ ହେଉଛି । ସେ ସେଠି ଟିକିଏ ଅଟକି ଗଲେ । ଜଣେ ଲୋକ ତାଙ୍କୁ କହିଲା, “କିଛି ମୁଦ୍ରା ଲଗାଅ, ଦେଖ ଖେଳରେ କେମିତି ହାର ଜିତ୍ ହୁଏ ।” ସେ କିଛି ମୁଦ୍ରା ଲଗାଇ ହାରିଗଲେ । ତା’ପରେ ତାଙ୍କୁ ଉତ୍ସାହ ଦେଇଥିବା ବ୍ୟକ୍ତିଟିହିଁ କହିଲା, “ଏଥର ତମ ପାଖରେ ଥିବା ସବୁତକ ଧନ ଦେଇଦିଅ, ନହେଲେ ସମୁଦ୍ରର ସବୁ ପାଣି ପିଇଯାଅ । ତେଣିକି ତମର ଯାହା ଇଚ୍ଛା ।”

ହିନ୍ଦବାଦ ମନେ ମନେ ଭାବିଲେ “ଏ ତ ଏକ ଆଶ୍ଚର୍ଯ୍ୟ ଦେଶ!” ତା’ପରେ ସେ କହିଲେ, “ଆଚ୍ଛା, କାଲିକି ମୁଁ ଯାହା କିଛି ନିର୍ଣ୍ଣୟ କରି କହିବି ।”

  ଏହାପରେ ସେ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ରାସ୍ତା ଉପରେ ବୁଲୁଥା’ନ୍ତି । ବୁଲୁ ବୁଲି ସେହି ପୂର୍ବୋକ୍ତ ବୁଢୀ ସହିତ ତା’ର ଦେଖା ହୋଇଗଲା । ବୁଢୀକୁ ଦେଖି ହିନ୍ଦବାଦଙ୍କର ମନେ ହେଲା ଏହି ଆଶ୍ଚର୍ଯ୍ୟ ରାଜ୍ୟରେ ବୋଧହୁଏ ସେଇହିଁ ତାଙ୍କର ନିଜ ଲୋକ । ବୁଢୀ ମଧ୍ୟ ତାଙ୍କ ଚେହେରା ଦେଖି ଜାଣିନେଲା ଯେ ନିଶ୍ଚୟ କିଛି ଗୋଟେ ବିପଦ ଘଟିଛି । ହିନ୍ଦବାଦ ସେ ବୁଢୀକୁ ସାରା ଦିନର ବୃତାନ୍ତ କହିଲେ ।

“ପୁଅ, ଏ ରାଜ୍ୟର ଲୋକେ ବଡ ଠକ ଓ ପାପୀ । ତତେ ମୁଁ ସାବଧାନ କରାଇ ଦେଇଥିଲି, ତଥାପି ବି ତୁ ହଇରାଣରେ ପଡିଲୁ? ଏଠାରେ ଛୋଟିଆ ଚନ୍ଦନ କାଠଟିର ଦାମ୍ ଦଶଟି ସୁନା ମୋହର । ଯାହା ହେବାର ତ ହେଲାଣି, ସଂଧ୍ୟା ସମୟରେ ତୁ ନଗର ଦ୍ୱାରରେ ପହଁଚି ଦେଖିବୁ ଏକ ବଡ ପଥର ପାଖରେ ଜଣେ ଅନ୍ଧ ସାଧୁ ବସିଛି । ପ୍ରକୃତରେ ସେ ଏକ ଡାକୁ । ଏ ନଗରୀର ଠକମାନଙ୍କର ସେ ହେଉଛି ଗୁରୁ । ସବୁ ଠକ ରାତିରେ ତା’ ପାଖକୁ ଆସି ସାରା ଦିନର ସମାଚାର କହନ୍ତି । ତୁ ପଥର ପଛପଟେ ଲୁଚି ସବୁ ଶୁଣିବୁ ଓ ପରେ ଆବଶ୍ୟକ ହେଲେ ମୋତେ ଆସି କହିବୁ । ମୁଁ ଭାବୁଛି ସେମାନଙ୍କ କଥାବାର୍ତ୍ତାରୁ ତୁ ଠିକ୍ ବୁଝିପାରିବୁ ତୋର ଧନ ସବୁ ଫେରି ପାଇବାର ଉପାୟ କ’ଣ ।”

ବୁଢୀ କଥା ମାନି ହିନ୍ଦବାଦ୍ ସଂଧ୍ୟା ଆଗରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ପଥର ପଛରେ ଯାଇ ଲୁଚି ରହିଲେ । ସେ ଦେଖିଲେ ରାତି ହେବା ମାତ୍ରେ ଜଣେ ପରେ ଜଣେ ଆସି ସାଧୁବେଶି ଠକ ପାଖରେ ଭକ୍ତଭଳି ଜୁଟିଗଲେ । ସେଦିନର ଆଲୋଚନାରେ ହିନ୍ଦବାଦ୍ଙ୍କ ସମ୍ପର୍କରେ ବେଶି ଭାଗ ଥିଲା ।

ଜଣେ କହିଲା, “ସ୍ୱାମୀ, ଆଜି ଜଣେ ବିଦେଶୀ ବେପାରୀଠାରୁ ମୁଁ ବହୁତ ଶସ୍ତା ଦାମ୍ରେ ଚନ୍ଦନ କାଠ କିଣିଛି ।” ତା’ପରେ ସେ ତା’ର ବାହାଦୁରୀ ଓ ସର୍ତ୍ତ ବିଷୟ କହି ବୁଝାଇ ଦେଲା ଯେ, “ସେ ଯଦି ଖାଲି ସୁନା ଚାହେଁ ତ ତଥାପି ମଧ୍ୟ ଆମେ ଲାଭବାନ୍ ।”

ଠକ ସାଧୁ କହିଲା “ବେପାରୀର ମଧ୍ୟ ଲାଭ ହୋଇପାରେ ।” ତା’ପରେ ସେ ପୁଣି କହିଲା, “ସେ ଯଦି ଚନ୍ଦନ କାଠର ଓଜନର ମାଛି ମାଗିବ ଯେଉଁଥିରେ ଅଧା ପୁରୁଷ ମାଛି ଓ ଅଧା ସ୍ତ୍ରୀ ମାଛି ଥିବେ, ତୁ କିପରି ତାହା ଦେବୁ?”

ଏପରି ସବୁ କଥା ଶୁଣି ବିଚାରା ଠକ ମୁହଁ ଶୁଖାଇ ସେଠାରୁ ଚାଲିଗଲା । ତା’ପରେ ସେଠାକୁ କଣା ଆସିଲା । ସେ କହିଲା, “ମୁଁ ଜଣେ ବିଦେଶୀକୁ ଆଜି ମିଛରେ ସେ ମୋ ଆଖି ଫୁଟାଇ ଦେଲା ବୋଲି କହି ସର୍ତ୍ତ ରଖିଛି ଯେ ସେ ଗୋଟାଏ ଆଖି ମୋତେ ଦେବ ନହେଲେ ତା’ର ସାରା ଧନ ସେ ଏଇଠି ଛାଡି ଯିବ ।”

“ତୁ ତ ମୂର୍ଖ । ଯଦି ସିଏ କହେ ଯେ, “ତା’ର ଆଖିଟିଏ ଦେବାକୁ ସେ ରାଜି କିନ୍ତୁ କଣାର ଗୋଟିଏ ଆଖି ଓ ତା’ର ଗୋଟିଏ ଆଖି ଏକା ଓଜନ ହେବା ଦରକାର ଓ ସେଥିପାଇଁ ତୋ ଆଖିଟି ସେ ଖୋଲିନେଇ ପରୀକ୍ଷା କରିବା ଆବଶ୍ୟକ । ତାହେଲେ ତୁ କ’ଣ କରିବୁ?” ତା’ହେଲେ ତ ତୁହିଁ ସମ୍ପୂର୍ଣ୍ଣ ଅନ୍ଧ ହୋଇଯିବୁ!”

କଣା ବିଚାରା ଏକଥା ଶୁଣି ସେ ସ୍ଥାନ ଛାଡି ଚାଲିଗଲା ।

ତା’ପରେ ମୋଚି ଆସିଲା । ସେ ସବୁକଥା ସେହି ସାଧୁବେଶି ଠକକୁ ଶୁଣାଇ କହିଲା, “ମୁଁ ତ ତା’ର ସବୁ ସମ୍ପତ୍ତି ମାଗିନେବି ।”

“ତୋର କିଛି ବୁଦ୍ଧି ନାହିଁ । ସେ ଯଦି ତତେ କହିବ କି ଆମ ସୁଲତାନଙ୍କର ସମସ୍ତ ଶତ୍ରୁ ମରିଯା’ନ୍ତୁ ଓ ସୁଲତାନ୍ ଦୀର୍ଘଜୀବି ହୁଅନ୍ତୁ – ଏକଥା ଶୁଣି ତୁମେ ଖୁସି ନା ନୁହେଁ, ତା’ହେଲେ ତୁ କ’ଣ କରିବୁ? ସେତେବେଳେ ତୁ ବାଧ୍ୟ ହୋଇ କହିବୁ ‘ହଁ ମୁଁ ଖୁସି’; ନହେଲେ ସୁଲତାନ୍ଙ୍କ ସୈନ୍ୟମାନେ ତୋର ହାତଗୋଡ ଗୁଣ୍ଡା କରିଦେବେ ।” ମୋଚି ମଧ୍ୟ ମୁହଁ ତଳକୁ କରି ଚାଲିଗଲା । ତା’ପରେ ଜୁଆଡି ଆସି ପହଁଚିଲା । ସେ କହିଲା, “ସ୍ୱାମୀ ଆଜି ଜଣେ ବିଦେଶୀକୁ ମୁଁ ହରାଇ ଦେଲି ଓ ତା’ ପାଖରେ ମୁଁ ଏହି ସର୍ତ୍ତ ରଖିଛି ଯେ ସେ ସମୁଦ୍ରର ସବୁ ପାଣି ପିଉ ନହେଲେ ସେ ନିଜର ସବୁତକ ସମ୍ପତ୍ତି ମୋତେ ଦେଇଦେଉ ।”

ଠକଙ୍କ ଗୁରୁ ପଚାରିଲା “ସେ ତୋତେ କିଛିବି ଦେବନାହିଁ । ଧର ସେ ତୋତେ କହିବ ଯେ ସମୁଦ୍ରର ସାରା ଜଳ ତୁ ତୋ ନିଜ ଆଞ୍ଜୁଳୀରେ ଭରି ନେଇ ଆସ ମୁଁ ତାହା ପିଇଦେବି । ସେତେବେଳେ ତୁ କ’ଣ କରିବୁ?”

ଏସବୁ କଥା ପଥରେ ପଛରେ ଥାଇ ହିନ୍ଦବାଦ୍ ଶୁଣିଲା । ପରଦିନ ଠିକ୍ ସେହି ଅନୁସାରେ କାମ କରିବାରୁ ଚନ୍ଦନ ବାବଦ ବହୁତ ସୁନା ମୋହର ପାଇଲା । ଅନ୍ୟମାନଙ୍କୁ ଠକଙ୍କ ଗୁରୁ କହିବା ଅନୁସାରେ ସେ ଠକାଇଲା, ସେମାନେ ସବୁ କ୍ଷମା ମାଗି ଆପଣା ମୁଣ୍ଡ ତଳକୁ କରି ସେଠାରୁ ଚାଲିଗଲେ । କିନ୍ତୁ ହିନ୍ଦବାଦ୍ ମଧ୍ୟ ସ୍ଥିରକଲେ । ଏ ନଗରୀକୁ ବ୍ୟବସାୟ କରିବାକୁ ସେ ତାଙ୍କ ଜୀବନରେ ଆଉ କେବେବି ହେଲେ ଆସିବେ ନାହିଁ । ସେ ଯେତିକି ପାଇଲେ ସେତକ ନେଇ ସେ ଖୁସିରେ ଖୁସିରେ ବାଗଦାଦ୍କୁ ଲେଉଟି ଆସିଲେ ।

Updated: October 6, 2019 — 9:29 am

Leave a Reply

Your email address will not be published. Required fields are marked *