ଇବ୍ରାହିମ୍ର ପୁରସ୍କାର -Odia Galpa

ଇରାନ୍ରେ ଇବ୍ରାହିମ୍ ଓ ଇସ୍ମାଇଲ୍ ନାମକ ଦୁଇଟି କାଠୁରିଆ ଥିଲେ । ସେମାନେ ପ୍ରତିଦିନ ବଣକୁ ଯାଇ କାଠ କାଟନ୍ତି ଓ ତାକୁ ବିଡାବାନ୍ଧି ବଜାରରେ ନେଇ ବିକ୍ରି କରନ୍ତି । ସେଥିରେ ସେମାନଙ୍କୁ ଯାହା କିଛିବି ପଇସା ମିଳେ ତାହା ପରିବାର ଚଳାଇବାକୁ ଯଥେଷ୍ଟ ନୁହେଁ । କିନ୍ତୁ ସେମାନେ ପ୍ରତିଦିନ ଧନୀ ହେବାର ସ୍ୱପ୍ନରେ ବୁଡି ରହନ୍ତି ।

  ଦୁଇପ୍ରକାରର ଭକ୍ତି ଭାବ ଇବ୍ରାହିମ ଭିତରେ ଥିଲା । ଏକରେ ଭଗବାନଙ୍କ ପ୍ରତି ଓ ଦୁଇରେ ଦେଶର ସମ୍ରାଟଙ୍କ ପ୍ରତି । ତେଣୁ ସେ ତା’ ମନେ ମନେ ସଦା ସର୍ବଦା ଏହି କାମନା କରୁଥାଏ ଯେ ଯଦି ସେ କେବେ ଧନୀ ହେବ ତେବେ ତାହା ଆଲ୍ଲା ଓ ବାଦଶାହଙ୍କ ଯୋଗୁଁ ହିଁ ହେବ ।

  କିନ୍ତୁ ଇସ୍ମାଇଲ୍ ମନରେ ଏପରି କିଛି ଭାବନା ନଥିଲା । ତା’ର ମତ ହେଉଛି ତା’ର ଦରିଦ୍ରତା ନା କୋଉ ଆଲ୍ଲା ଦୂର କରିପାରିବେ ନା ବାଦଶାହ । ସେ କେବଳ ଧନୀ ହେବାକୁ ଚାହୁଁଥିଲା ।

ଦିନେ ଜଙ୍ଗଲରେ ସେ ଦୁହେଁ ଦୂରରେ ଥାଇ କାଠ କାଟୁଥିଲେ । ହଠାତ୍ ଇସ୍ମାଇଲ୍ ମନକୁ କିଛି ଆସିଲା ସେ ତତ୍କ୍ଷଣାତ୍ ଇବ୍ରାହିମ୍ ପାଖକୁ ଦୌଡି ଯାଇ ତାକୁ ପଚାରିଲା, “ଇବ୍ରାହିମ୍ ଭାଇ, ଲୋକେ କୁହନ୍ତି ଯେ ଜଙ୍ଗଲ ଭିତରେ ବେଳେ ବେଳେ ପୋତାଧନ ମିଳିଯାଏ । ଯଦି ଆମକୁ ସେପରି କିଛି ମିଳି ଯା’ନ୍ତା ତ କେତେ ଭଲ ନ ହୁଅନ୍ତା ।”

 ଏକଥା ଶୁଣି ଇବ୍ରାହିମ୍ କହିଲା “ସେପରି ଧନ ମିଳିଗଲେ ଆମର କ’ଣଟା ଲାଭ ହେବ । ଏସବୁ ଧନ ସମଗ୍ର ଦେଶବାସୀଙ୍କର ବୋଲି ମାନିବାକୁ ହେବ । ତେଣୁ ଆମେ ବାଧ୍ୟ ହୋଇ ବାଦଶାହ୍ଙ୍କୁ ହିଁ ସେସବୁ ସମର୍ପି ଦେବା ।

“ତୁମେ ଉଚିତ୍ ଅନୁଚିତ୍ କଥା କହୁଛ । ସେ ସବୁର ମାନେ କ’ଣ କିଛି ହୁଏ?” ଇସ୍ମାଇଲ୍ ଏତିକି କହି ରାଗି କରି ସେଠୁ ପଳାଇଲା ।

 ଦ୍ୱିତୀୟ ଦିନ ଯେତେବେଳେ ସେମାନେ ପୁଣି କାଠ କାଟିବାକୁ ଗଲେ, ଇବ୍ରାହିମ୍ ଗୋଟାଏ ଶୁଖିଲା ଗଛର ଡାଳ ଦେଖିଲା । ସେଇଟି କାଟିବା ମାତ୍ରେ ଗୋଟିଏ ମୋହର ପୂର୍ଣ୍ଣ ପାତ୍ର ତା’ ଭିତରୁ ଛିଟିକି ଆସି ପଦାରେ ପଡିଲା । ଇବ୍ରାହିମ୍ ଦୌଡି ଦୌଡି ଆସି ଇସ୍ମାଇଲ୍ ପାଖରେ ପହଁଚିଲା । ଇସ୍ମାଇଲ୍ ତା’ର ସବୁକଥା ଶୁଣି ତାକୁ ପଚାରିଲା, “ଏବେ ଏହାକୁ ନେଇ ତୁମେ କ’ଣ କରିବ?”

ଇବ୍ରାହିମ୍ କହିଲା “କ’ଣ କରିବି? ବାଦଶାହଙ୍କୁ ଦେବି । ସେ ଯଦି ଖୁସିରେ ଆମକୁ ଏଥିରୁ କିଛି ଦିଅନ୍ତି ତ ତେବେ ନେବା ।”

   ଇସ୍ମାଇଲ୍ ତାକୁ ବୁଝାଇ କହିଲା “ଆରେ ବୋକାରାମ, ଏମିତି କରିବ ତ ତୁମର ଭବିଷ୍ୟତ ଜୀବନରେ ଆଉ କେବେ ହେଲେବି ସୁଖ ଆସିବ ନାହିଁ ।”

 ତା’କଥା ଶୁଣି ଇବ୍ରାହିମ୍ ଚୁପ୍ ହୋଇଗଲା ଓ ପୁଣି ତା’କାଠ ଓ ମୋହର ପାତ୍ର ପାଖକୁ ଫେରି ଆସିଲା । ଇସ୍ମାଇଲଲ୍ ମଧ୍ୟ ତା କାମରେ ଲାଗିଲା । ଇବ୍ରାହିମ୍ କାଠବିଡା ଭିତରେ ସେଇଟିକୁ ରଖି ଘରକୁ ଗଲା । ତା’ପରେ ମୋହର ପାତ୍ରଟି ଧରି ସେ ସିଧା ରାଜଧାନୀ ଉଦ୍ଧେଶ୍ୟରେ ଗଲା । ସେ ସେଠାରେ ପହଁଚି ବାଦଶାହ୍ଙ୍କୁ ସେତକ ଦେଇ ବର୍ଣ୍ଣନା କଲା କିପରି ସେ ଏହାକୁ ପାଇଲା । ବାଦ୍ଶାହା ତାକୁ ଦରବାରରେ ଖୁବ୍ ପ୍ରଶଂସା କଲେ ଓ ତାସହିତ ତାକୁ ଶହେଟି ମୋହର ପୁରସ୍କାର ସ୍ୱରୂପ ମଧ୍ୟ ଦେଲେ ।

  ଇବ୍ରାହିମ୍ ଘରକୁ ଫେରି ବାଦଶାହ ଦେଇଥିବା ପୁରସ୍କାର ଟଙ୍କାରେ ବ୍ୟବସାୟଟିଏ ଆରମ୍ଭ କଲା । ଏହି ଘଟଣାର ଦୁଇଦିନ ପରେ ଇବ୍ରାହିମ୍କୁ ଖବର ମିଳିଲା ଯେ ନକଲି ସୁନା ବିକ୍ରି କରିବାର ଅପରାଧରେ ଇସ୍ମାଇଲ୍କୁ ବନ୍ଦୀ କରାଯାଇଛି ମାତ୍ର ତା’ର ଶୁଣାଣୀ ହୋଇନାହିଁ । ଇବ୍ରାହିମ୍ ଯାଇ ସେଠାରେ ପହଁଚିଲା । ସେ ସିଧା ବାଦଶାହଙ୍କ ପାଖକୁ ଯାଇ କହିଲା ଯେ ଇସ୍ମାଇଲ୍ ତା’ର ବନ୍ଧୁ । ଯାହା ଜୋରିମାନା ତା’ପାଇଁ ସେ ଦେବ, ତାକୁ ଏଥରକ ଛାଡି ଦିଆଯାଉ ।

                ଇବ୍ରାହିମ୍ର କଥା ଶୁଣି ବାଦ୍ଶାହ ଦରବାରରେ କହିଲେ, ଯିଏ ଆଲ୍ଲାଙ୍କୁ ମାନେ ଓ ବାଦଶାହଙ୍କୁ ମାନେ, ପୁଣି ଧର୍ମାନୁସାରେ ଜୀବନ ଯାପନ କରେ, ତା’ର ସମୟ ପୁରା ସୁଖ ଶାନ୍ତିରେ ବିତେ । ତାହାର ବିପରୀତ ଯିଏ ଚାଲାକି କରି କାମ କରେ ତାକୁ କଷ୍ଟ ସହିବାକୁହିଁ ହେବ । ଏ ସମ୍ପର୍କରେ ମୁଁ ଆପଣମାନଙ୍କୁ ଗୋଟିଏ କାହାଣୀ ଶୁଣାଇବି, ଦୁଇଜଣ କାଠୁରିଆ ଥିଲେ – ସେମାନଙ୍କ ମଧ୍ୟରୁ ଜଣେ ଆଲ୍ଲାଙ୍କୁ ଓ ବାଦଶାହାଙ୍କୁ ମାନେ । ଆଉ ଦ୍ୱିତୀୟ ଜଣକ ସମ୍ପୂର୍ଣ୍ଣ ଭିନ୍ନ ସ୍ୱଭାବର । ଥରେ ବାଦ୍ଶାହ ଜଙ୍ଗଲକୁ ଶିକାର କରିବାକୁ ଗଲେ । ସେ ସେହି ଦୁଇଜଣଙ୍କ କଥାବାର୍ତ୍ତା ସେମାନଙ୍କ ପଛରେ ଥାଇ ସବୁ ଶୁଣି ପାରିଲେ । ବାଦ୍ଶାହ ଦୁଇଟି ନକଲି ସୁନା ମୋହର ପୂର୍ଣ୍ଣ ପାତ୍ର ନେଇ କାଠ କାଟିବା ସ୍ଥାନରେ ରଖିଲେ । ଫଳରେ ସେ ଦୁହିଁଙ୍କୁ ଦୁଇଟି ସୁନାମୋହର ପୂର୍ଣ୍ଣ ପାତ୍ର ମିଳିଲା । କିନ୍ତୁ ପ୍ରଥମ ଜଣକ ସେତକ ପାଇବା ମାତ୍ରେ ତାକୁ ଆଣି ବାଦଶାଙ୍କୁ ଦେଲା । ବାଦଶାହ ତାକୁ ଶହେ ସୁନାର ମୋହର ପୁରସ୍କାର ସ୍ୱରୂପ ଦେଲେ । କିନ୍ତୁ ଦ୍ୱିତୀୟ ଜଣକ ସବୁ ନିଜେ ମାରିନେଲା ଓ ବଜାରର ସେତକ ବିକ୍ରି କରି ଧରା ପଡିଲା । ଏବେ ଶୁଣନ୍ତୁ ସେହି ପ୍ରଥମ କାଠୁରିଆ ହେଲେ ଏହି ଇବ୍ରାହିମ୍ । ଆଉ ସେ ଦ୍ୱିତୀୟ କାଠୁରିଆଟି ହେଲା ଇସ୍ମାଇଲ୍ ।

   ଇବ୍ରାହିମ୍ର ଅନୁରୋଧରେ ବାଦଶାହା ଇସ୍ମାଇଲ୍କୁ ଛାଡିଦେଲେ; କାରଣ ଇବ୍ରାହିମ୍ ତା’ପାଇଁ ଜୋରିମାନା ଦେଲା ଓ କହିଲା ଯେ ତା’ର ବନ୍ଧୁ ଭବିଷ୍ୟତରେ ଆଉ ଏପରି କଦାପି ମଧ୍ୟ କରିବ ନାହିଁ । ପ୍ରକୃତରେ ଇବ୍ରାହିମ୍ର କଥା ରଖିବାକୁ ଯାଇ ଇସ୍ମାଇଲ୍ର ମନ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହେଲା । ସେ ଭଲ ମଣିଷ ହୋଇଗଲା ଓ ଇବ୍ରାହିମ୍ ସହିତ ମିଶି ବ୍ୟବସାୟ କଲା ।

Updated: October 2, 2019 — 10:59 am

Leave a Reply

Your email address will not be published. Required fields are marked *